କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଡିକେ ଶିବକୁମାର । ପଦ ଛାଡ଼ିବାକୁ ଘୋଷଣା କଲେ ସିଦ୍ଦାରାମାୟା ।
ଚେଇଁ ଉଠିଲା କଂଗ୍ରେସ
ବିଭାଜନ ଏଡ଼ାଇବାକୁ ନେତୃତ୍ୱ ପରିବର୍ତ୍ତନ
କର୍ନାଟକ କଂଗ୍ରେସରେ ୩ ବର୍ଷ ଧରି ଚାଲିଥିବା କ୍ଷମତା ଲେଇର ଅନ୍ତ ଘଟିଛି । ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ଶେଷରେ ମୁଖ୍ୟମନ୍ତ୍ରୀ ଚଉକିି ଛାଡ଼ିବାକୁ ରାଜି ହୋଇଛନ୍ତି । ଦଳର ଟାଣୁଆ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଡିକେଏସ୍ ଏଥିସହ ୨୦୨୮ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେବେ ।
କଂଗ୍ରେସ ନେତା ସିଦ୍ଦାରାମାୟା ଗୁରୁବାର ସକାଳେ ସ୍ପଷ୍ଟ କରିଛନ୍ତି ଯେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଘୋଷଣା ମଧ୍ୟ କରିଛନ୍ତି । ଏଠାରେ ସ୍ମରଣଯୋଗ୍ୟ ଯେ, ୨୦୨୫ ବିଧାନସଭା ନିର୍ବାଚନ ବେଳେ କର୍ନାଟକରେ କଂଗ୍ରେସର ବିପୁଳ ସଫଳତା ପଛରେ ଡିକେଏସ୍ଙ୍କ ହାତ ରହିଥିଲା । ଡିକେଏସ୍ ହିଁ ଦଳୀୟ ସଙ୍ଗଠନକୁ ମଜଭୁତ୍ କରି କର୍ନାଟକରେ କଂଗ୍ରେସକୁ କ୍ଷମତାସୀନ କରାଇଥିଲେ । କିନ୍ତୁ ସେତେବେଳେ ବହୁ ଟଣାଓଟଣରା ପରେ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ । ସର୍ତ ରହିଥିଲା- ସିଦ୍ଦାରାମାୟା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପରେ ଡିକେଏସ୍ଙ୍କୁ ଶାସନ ଗାଦି ଛାଡ଼ିଦେବେ । କିନ୍ତୁ ଅଢ଼େଇ ବର୍ଷ ପୂରିବା ପରେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନ ଥିଲେ । ଇତିମଧ୍ୟରେ ଦୁଇ ହେଭିୱେଟ୍ଙ୍କ କ୍ଷମତା ଯୁଦ୍ଧ ଅନେକ ଥର ଦିଲ୍ଲୀରେ ପହଞ୍ôଚଥିଲା । ଶେଷରେ ଅନ୍ୟ ରାଜ୍ୟଗୁଡ଼ିକରେ କଂଗ୍ରେସର ପତନକୁ ମନେପକାଇ ଦଳର ହାଇକମାଣ୍ଡ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ହାଇକମାଣ୍ଡଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ସିଦ୍ଦାରାମାୟା ନିଜ ବେଙ୍ଗାଲୁରୁ ବାସଭବନରେ ଆୟୋଜିତ ବ୍ରେକ୍ଫାଷ୍ଟ ମିଟିଙ୍ଗ ପରେ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଡିକେଏସ୍ ସିଦ୍ଦାରାମାୟାଙ୍କ ପାଦ ଛୁଇଁ ଆଶିର୍ବାଦ ନେଉଥିବା ବେଳର ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି କର୍ନାଟକ କଂଗ୍ରେସ । ଦୀର୍ଘ ୪୮ ଘଣ୍ଟା ଧରି ଚାଲିଥିବା ମାରାଥନ୍ ବୈଠକ ପରେ କର୍ନାଟକ କଂଗ୍ରେସକୁ ଏହି ଘୋଷଣା ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି । ଏଆଇସିସି ପକ୍ଷରୁ ସିଦ୍ଦାରାମାୟାଙ୍କୁ ସ୍ୱାନ୍ତନାମୂଳକ କ୍ଷତିପୂରଣ ପ୍ରଦାନ ପୂର୍ବକ ରାଜ୍ୟ ସଭା ପଠାଇବାକୁ ଅଫର୍ ଦିଆଯାଇଛି । ଏହି ଇଟିଲି ଦୋସା ମିଟିଙ୍ଗ୍ ପୂର୍ବରୁ ସୋମବାର ଓ ମଙ୍ଗଳବାର ଉଭୟ ସିଦ୍ଦାରାମାୟା ଏବଂ ଡିକେଏସ୍ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ଭେଟି ଆଲୋଚନା କରିିଥିଲେ । ଚଳିତ ବର୍ଷ କର୍ନାଟକରୁ ଖାଲିପଡ଼ିବାକୁ ଥିବା ୩ ରାଜ୍ୟ ସଭା ଆସନ ମଧ୍ୟରୁ ଗୋଟିଏରେ ସିଦ୍ଦାରାମାୟାଙ୍କୁ ବସାଇବାକୁ ପ୍ରିୟଙ୍କା ପ୍ରସ୍ତାବ ଦେବା ସହ ନେତୃତ୍ୱ ପରିବର୍ତ୍ତନ ଦଳ ପାଇ ଉଚିତ୍ ହେବ ବୋଲି କହିଥିଲେ ।
କର୍ନାଟକ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ୍ ମୁମ୍ବାଇରୁ ଫେରିବା ପରେ ସିଦ୍ଦାରାମାୟା ଇସ୍ତଫା ଦେବେ । ଏହା ପରେ ଡିକେଏସ୍ ଶନିବାର କର୍ନାଟକର ନୂଆ ମୁଖିଆ ହେବେ ବୋଲି ସୂତ୍ରରୁ ଜଣାପଡ଼ିଛି । ରାଜନୈତିକ ବିଶ୍ଳେଷକଙ୍କ ମତରେ- ପୂର୍ବରୁ କଂଗ୍ରେସର ଏପରି ଚୈତନ୍ୟ ଉଦୟ ହୋଇଥିଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟରେ ଦଳକୁ ଏତେ କ୍ଷତି ସହିବାକୁ ପଡ଼ି ନ ଥାଆନ୍ତା ।
