Breaking News
ଦଳିତଙ୍କୁ ଅବହେଳା କଂଗ୍ରେସକୁ ମହଙ୍ଗା ପଡ଼ିଛି: ଦୋଷ ମାନିଲେ ରାହୁଲ
Author
By
May 26, 2026 0

ଦଳିତଙ୍କୁ ଅବହେଳା କଂଗ୍ରେସକୁ ମହଙ୍ଗା ପଡ଼ିଛି: ଦୋଷ ମାନିଲେ ରାହୁଲ


କହିଲେ, ଦଳୀୟ ରାଜନୀତିର କେନ୍ଦ୍ରରେ ରହିବେ ଦଳିତ
ନୂଆଦିଲ୍ଲୀ,୨୬/୫(ଏଜେନ୍ସି): 
କଂଗ୍ରେସ ଦଳ ୧୯୮୦ ଓ ୧୯୯୦ ଦଶକରେ ଦଳିତମାନଙ୍କ ସ୍ୱାର୍ଥରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଏହି କାରଣରୁ କଂଗ୍ରେସର ଦଳୀୟ ଭିତ୍ତିଭୂମି ଦୋହଲି ଯାଇଥିଲା ଏବଂ ଆଞ୍ଚଳିକ ଦଳଗୁଡ଼ିକର ଅଭ୍ୟୁଦୟ ଘଟିଥିଲା ବୋଲି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି । ଆଗକୁ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ତାଙ୍କ ମୁହଁରୁ ଏହି ସ୍ୱୀକାରୋକ୍ତି ଶୁଣିବାକୁ ମିଳିଛି ।
  କଂଗ୍ରେସର ଜନଜାତି ବିଭାଗ ପକ୍ଷରୁ ଦିଲ୍ଲୀ ମୁଖ୍ୟାଳୟରେ  ଆୟୋଜିତ ଏକ ବୈଠକକୁ ସମ୍ବୋଧନ କରି ରାହୁଲ କହିଛନ୍ତି, କଂଗ୍ରେସ ସଙ୍ଗଠନରେ ଦଳିତମାନେ ଏକ କେନ୍ଦ୍ରୀୟ ଭୂମିକା ତୁଲାଇବେ । ୮୦-୯୦ ଦଶକରେ କଂଗ୍ରେସ ଦଳିତଙ୍କ ପାଇଁ ତତ୍ପରତା ଦେଖାଇଥିଲେ ଜାତିଭିତ୍ତିକ ଆଞ୍ଚଳିକ ଦଳଗୁୁଡ଼ିକ ଗଢ଼ିଉଠି ନଥାଆନ୍ତେ କି ଜନଜାତିର ଭୋଟରମାନେ କଂଗ୍ରେସ ପ୍ରତି ବିମୁଖ ହୋଇ ନଥାଆନ୍ତେ ବୋଲି ରାହୁଲ ମାନିଛନ୍ତି । 
କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ, ଉକ୍ତ ବୈଠକରେ ରାହୁଲ କାଂସିରାମଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପ୍ରତିଷ୍ଠାତା କାଂସିରାମ ଦଳିତମାନଙ୍କୁ ରାଜନୈତିକ ସ୍ତରରେ ଏକତ୍ରିତ କରିବା ସହ ଏହି ସମୁଦାୟ ମଧ୍ୟରେ ଆତ୍ମବିଶ୍ୱାସ ଭରିଦେଇଥିଲେ ବୋଲି ରାହୁଲ କହିଛନ୍ତିି । ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ବିଜେପି ଏକସଙ୍ଗେ ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିବାରେ ଲାଗିଛି ଏବଂ ଦଳିତମାନଙ୍କ ଅଧିକାରଗୁୁଡ଼ିକୁ ନ୍ୟୂନ କରିଦେଉଛି । ଦେଶରେ ଦଳିତ ବିରୋଧୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । କଂଗ୍ରେସ ଦଳିତଙ୍କ ଅଧିକାରର ତ୍ରାଣକର୍ତ୍ତା ସାଜିବ ଏବଂ ବି.ଆର. ଆମ୍ବେଡକରଙ୍କ ସ୍ୱପ୍ନକୁ ପୂରଣ କରିବ ବୋଲି ରାହୁଲ ଉକ୍ତ ବୈଠକରେ ସ୍ପଷ୍ଟ କରିଛନ୍ତି । ୨୦୨୭ରେ ଉତ୍ତର ପ୍ରଦେଶ ବିିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାହୁଲଙ୍କ ଏହି ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି । 


 


 

Extra Image
Back to Home

What's New ?